ଢେଙ୍କାନାଳ : ବାବା କେଳେଙ୍କାରୀ ଘଟଣା ଆସିଛି ସାମ୍ନାକୁ । ଜଣେ ମହିଳା ଆଣିଛି ସଙ୍ଘାତିକ ଅଭିଯୋଗ। କାନ୍ଦି କାନ୍ଦି ବାବାଙ୍କ କାରନାମାର କରିଛନ୍ତି ପର୍ଦ୍ଦାଫାସ୍। ସେ ସିଧା ସିଧା କହିଛନ୍ତି ବାବା ଜଣେ ଫ୍ରଡ୍... ଭଗବାନଙ୍କ ସେବା କରିବାକୁ ଡାକି ଆଣି ତାଙ୍କ ସହ କରିଛନ୍ତି ଜୋର ଜବରଦସ୍ତ ... ରାତିରେ ତାଙ୍କ ରୁମରେ ପଶି ତାଙ୍କୁ କରିଛନ୍ତି ଦୁଷ୍କର୍ମ। ନାଲି କପଡ଼ା ପିନ୍ଧା ବାବାଜୀଙ୍କ ବେଶରେ ସେ ଜଣେ ଦୁଷ୍କର୍ମକାରୀ ବୋଲି କହିଛନ୍ତି ମହିଳା। ମଠରେ ଠାକୁରଙ୍କ ସେବା କରିବା ଆଳରେ ଜଣେ ବିବାହିତା ମହିଳାଙ୍କୁ ମଠକୁ ଆଣି ଚଳାଇଥିଲେ ଯୌନ କେଳେଙ୍କାରୀ। ଖୋଦ ପୀଡିତା ମହିଳା ଏପରି ସଙ୍ଗୀନ ଅଭିଯୋଗ ଉଠାଇବା ପରେ ଏବେ ବାବା କେଉଁ ଆଡେ ଫେରାର ହୋଇଯାଇଛନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରେ। ପୀଡିତାର ଅଭିଯୋଗ ପରେ କାମାକ୍ଷାନଗର ଥାନା ପୁଲିସ ଏବେ ଛାନଭିନ୍ ଆରମ୍ଭ କରିଛି। ଏହା ସହ ପୀଡିତା ମହିଳାଙ୍କୁ ଉଦ୍ଧାର କରାଯାଇଛି ।
ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ଅନ୍ତର୍ଗତ ମଠକରଗୋଳା ଗ୍ରାମ ନିକଟରେ ଥିବା ଗୋବିନ୍ଦ ଭୋଜନାଳୟର ମାଲିକ ତଥା ବାବା ମଧୁ ମଙ୍ଗଳ ଦାସଙ୍କ ନାମରେ ହୋଇଛି ଏପରି ସଙ୍ଗୀନ ଅଭିଯୋଗ। ତେବେ ଅଭିଯୁକ୍ତ ବାବା ମଧୁମଙ୍ଗଳ ଦାସ ଫେରାର ହୋଇଯାଇଥିବା ବେଳେ ତାର ଘର ମଠକରଗୋଳା ବେଳେଇ ସାହି ରେ ବୋଲି ଜଣାପଡିଛି। ବାବା ମୁଖା ପିନ୍ଧା ଏହି ମଧୁ ମଙ୍ଗଳ ପୂର୍ବରୁ ବୃନ୍ଦାବନ ଯାଇ ଫେରିବା ପରେ ଗାଁ ରେ ଏକ ମଠ କରି ରହୁଥିବା ଜଣାପଡିଛି। ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ମଠକରଗୋଳା ଛକରେ ମଠ ସହିତ ଗୋବିନ୍ଦ ଭୋଜନାଳୟ ନାମରେ ଏହି ଭଣ୍ଡ ବାବା ଏକ ହୋଟେଲ ମଧ୍ୟ ଚଲାଇଥିଲେ ବୋଲି ଜଣାପଡିଛି। ତେବେ ପୀଡିତା ଜଣେ ବିବାହିତା ମହିଳା ବୋଲି ଜଣାପଡିଛି। ତାଙ୍କୁ ମଠରେ ଠାକୁରଙ୍କ ସେବା ନୀତି କରିବା ଆଳରେ ଡାକି ଆଣିଥିଲେ ବାବା । ମାତ୍ର ନିଜ ହୋଟେଲରେ କାମ କରାଇବା ସହିତ ରାତିରେ ତାଙ୍କ ସହିତ ଜବରଦସ୍ତ ଯୌନ ସମ୍ପର୍କ ରଖିଥିବା ପୀଡିତା ଅଭିଯୋଗ କରିଛନ୍ତି। ତେବେ ଏହା କାହାକୁ ପ୍ରକାଶ କଲେ ଜୀବନରେ ମାରିଦେବାକୁ ମଧ୍ୟ ବାବା ତାଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠାଇଛନ୍ତି ପୀଡିତା । ଏ ସମ୍ପର୍କରେ ପୀଡିତା ପଂଚାୟତର ସରପଞ୍ଚଙ୍କ ଅଭିଯୋଗ କରିଥିବାରୁ ସେ ଥାନାରେ ଅଭିଯୋଗ କରିବାକୁ କହିଥିଲେ ବୋଲି ମଧ୍ୟ ସ୍ଥାନୀୟ ପଂଚାୟତର ସରପଞ୍ଚ ପ୍ରକାଶ କରିଛନ୍ତି।
ପୋଲିସ୍ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଥିବାବେଳେ ପୂରା ଘଟଣାକୁ ନେଇ ବାବା ଏନେଇ କିଛି ମୁହଁ ଖୋଲି ନାହାନ୍ତି। ତେବେ ସତରେ ଯଦି ବାବା ଦୋଷୀ ତାହାଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ।